ମିଶନ୍ ‘ପ୍ରକାଶ ୩.୦’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ମେଣ୍ଟରିଂ ଶିବିର ଉଦ୍ଘାଟିତ, ଦଶମ ଶ୍ରେଣୀର ଏ-୧ ଗ୍ରେଡ୍ ଛାତ୍ରଛାତ୍ରୀଙ୍କୁ ମିଳୁଛି ସ୍ୱତନ୍ତ୍ର ମାର୍ଗଦର୍ଶନ ********************************
କେସିଙ୍ଗା/କେସିଙ୍ଗା ସମାଚାର ୩୧/୧୦(ମଧୁସୂଦନ ଠାକୁର )ଆଗାମୀ ୨୦୨୭ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ରେ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ଉତ୍କର୍ଷ ପ୍ରଦର୍ଶନ ଲକ୍ଷ୍ୟରେ ମିଶନ୍ ‘ପ୍ରକାଶ ୩.୦’ ଅଧୀନରେ ଏକ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ମେଣ୍ଟରିଂ ଶିବିର ଗତ ୨୯ ଅକ୍ଟୋବର ୨୦୨୬ ତାରିଖରେ କେସିଙ୍ଗାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉଦ୍ଘାଟିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲାର ଚାରୋଟି ବ୍ଲକ୍ରୁ ଚୟନିତ ୧୨୨ ଜଣ ଏ-୧ ଗ୍ରେଡ୍ ହାସଲକାରୀ ମେଧାବୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ରିସୋର୍ସ ଶିକ୍ଷକମାନେ ଏହି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, କେସିଙ୍ଗାର ବିଶିଷ୍ଟ ଡାକ୍ତର ତଥା ସମାଜସେବୀ ଡାକ୍ତର ହେମସାଗର ସାହା, କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଏବଂ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଞ୍ଜୟ ସ୍ୱାଇଁ ଅତିଥି ଭାବେ ଯୋଗଦେଇଥିଲେ। ଚାରିଦିନିଆ ଏହି ଆବାସିକ ଶିବିରର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତର ଓ ବିଷୟଭିତ୍ତିକ ଦକ୍ଷତା ଆକଳନ ପାଇଁ ବେସ୍ଲାଇନ୍ ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ବିଷୟର ପାଠ୍ୟକ୍ରମକୁ ନେଇ ପିରିୟଡ୍ ଅନୁଯାୟୀ ବିଷୟଭିତ୍ତିକ ଆଲୋଚନା ଓ ଶିକ୍ଷାଦାନ କରାଯାଇଥିଲା। ବିଶେଷକରି ଜଟିଳ ଓ ଦୁର୍ବୋଧ୍ୟ ଶିକ୍ଷଣୀୟ ଧାରଣାଗୁଡ଼ିକୁ ସରଳ ଓ ସହଜ ଉପାୟରେ ବୁଝାଇବା ସହ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂରୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଥମ ଦିନ ସନ୍ଧ୍ୟାରେ ଏକ ମନୋରମ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶିବିରର ଦ୍ୱିତୀୟ ଦିନରେ ରିସୋର୍ସ ଶିକ୍ଷକମାନଙ୍କ ଦ୍ୱାରା ପ୍ରୟୋଗଭିତ୍ତିକ, ଅନୁଭୂତିମୂଳକ ଓ ଅଂଶଗ୍ରହଣମୂଳକ ଶିକ୍ଷଣ ଅଧିବେଶନ ଆୟୋଜିତ ହୋଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଷୟବସ୍ତୁର ଗଭୀର ଅନୁଧାବନ, ଯୁକ୍ତିସଙ୍ଗତ ଚିନ୍ତନ ଓ ପ୍ରୟୋଗାତ୍ମକ ଜ୍ଞାନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସନ୍ଧ୍ୟାରେ ସମୀର କୁମାର ବେହେରା, ପରମାନନ୍ଦ ଛୁଆଳସିଂହ ଓ ଛନ୍ଦାଚରଣ ସାହୁଙ୍କ ଦ୍ୱାରା ଏକ ଆକର୍ଷଣୀୟ ବିଜ୍ଞାନ ଚମତ୍କାର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହା ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ, ଉତ୍ସୁକତା ଓ ଅନୁସନ୍ଧିତ୍ସା ସୃଷ୍ଟି କରିଥିଲା। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଭିନବ ଚିନ୍ତାଧାରା ଓ ପରିକଳ୍ପନାରୁ ଏହି ଅନନ୍ୟ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଚିନ୍ତିତ ମାର୍ଗଦର୍ଶନ, ଅନୁଭବୀ ଶିକ୍ଷକଙ୍କ ସହଯୋଗ ଓ ଅନୁକୂଳ ଶିକ୍ଷଣ ପରିବେଶ ପ୍ରଦାନ କରି ଆଗାମୀ ବୋର୍ଡ ପରୀକ୍ଷାରେ ସେମାନଙ୍କ ସର୍ବୋତ୍ତମ ସଫଳତା ସୁନିଶ୍ଚିତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି ଅଭିନବ ପଦକ୍ଷେପ କଳାହାଣ୍ଡି ଜିଲ୍ଲାର ଶିକ୍ଷାକ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ପରୀକ୍ଷା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)