କେସିଙ୍ଗା ବ୍ଲକରେ ପଦୋନ୍ନତି ପାଇଲେ ୭୧ ଜଣ ଶିକ୍ଷକ
କେସିଙ୍ଗା/ କେସିଙ୍ଗାସମାଚାର ୨୪/୯ (ମଧୁସୂଦନ ଠାକୁର) ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଲେଭେଲ-ଭି(ଏ) ସହକାରୀ ଶିକ୍ଷକମାନଙ୍କୁ ଲେଭେଲ-ଭି(ବି) ବରିଷ୍ଠ ଶିକ୍ଷକ ପଦକୁ ଇତି ମଧ୍ୟରେ ପଦୋନ୍ନତି ପ୍ରଦାନ କରାଯାଇଛି। ଜିଲ୍ଲା ସ୍ତରୀୟ ପଦୋନ୍ନତି କମିଟିର ସୁପାରିଶ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଏହି ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯୋଗ୍ୟ ବିବେଚିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତାଲିକା ଆଧାରରେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି। ପଦୋନ୍ନତି ପ୍ରାପ୍ତ ଶିକ୍ଷକମାନେ ଲେଭେଲ-ଭି(ବି) ବରିଷ୍ଠ ଶିକ୍ଷକ ପଦରେ ଯୋଗଦାନ କରିବା ଦିନଠାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଦୀର୍ଘ ଦିନ ଧରି ପଦୋନ୍ନତି କୁ ଅପେକ୍ଷା କରୁଥିବା ଶିକ୍ଷକମାନଙ୍କ ପାଇଁ ଏହି ଘୋଷଣା ଏକ ଖୁସିର ଖବର ହୋଇଥିବା ବେଳେ, ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତାକୁ ଯଥୋଚିତ ସ୍ୱୀକୃତି ମିଳିଥିବା ମତ ପ୍ରକାଶ ପାଇଛି। ପଦୋନ୍ନତି ମାଧ୍ୟମରେ ଶିକ୍ଷକମାନଙ୍କ ର ଦାୟିତ୍ୱ ଏବଂ କାର୍ଯ୍ୟ ପରିଧି ଅଧିକ ବୃଦ୍ଧି ପାଇବା ସହ ଶିକ୍ଷାର ଗୁଣାତ୍ମକ ବିକାଶରେ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଶିକ୍ଷାବିତ୍ମାନେ ଆଶା ପ୍ରକାଶ କରିଛନ୍ତି। କେସିଙ୍ଗା ବ୍ଲକର ମୋଟ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକାସାଙ୍ଗରେ ପଦୋନ୍ନତି ପାଇଥିବାରୁ ଶିକ୍ଷକ ମହଲରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ସରକାର ଓ ଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ପଦୋନ୍ନତିପ୍ରାପ୍ତ ଶିକ୍ଷକମାନଙ୍କୁ ସହକର୍ମୀ ଏବଂ ଶୁଭେଚ୍ଛୁମାନଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଉଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)