କେସିଙ୍ଗା ରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଉଦ୍ଘାଟିତ ଦଶମ ଶ୍ରେଣୀର ୬୬ ଜଣ ଏ-୧ ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ
କେସିଙ୍ଗା/ କେସିଙ୍ଗାସମାଚାର ୧୩/୧୦(ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା ପ୍ରଶାସନର ଏକ ଅଭିନବ ପଦକ୍ଷେପ ସ୍ୱରୂପ ଆଗାମୀ ୨୦୨୭ ମସିହା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ କେସିଙ୍ଗାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଆଜି ଅକ୍ଟୋବର ୧୨ ତାରିଖରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ୍ର ଦଶମ ଶ୍ରେଣୀର ୬୬ ଜଣ ଏ-୧ ଆକାଂକ୍ଷୀ ଛାତ୍ରଛାତ୍ରୀ, ୬୬ ଜଣ ଅଭିଭାବକ ଏବଂ ବ୍ଲକ୍ର ୩୦ ଜଣ ପ୍ରଧାନଶିକ୍ଷକ ଯୋଗଦାନ କରିଥିଲେ। ଆଗାମୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ହାସଲ କରିବା ସହ ଏ-୧ ଗ୍ରେଡ୍ ପ୍ରାପ୍ତି ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଅଧ୍ୟବସାୟ ଓ ନିଷ୍ଠା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଉଦ୍ଘାଟନୀ ଅଧିବେଶନରେ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମାନନ୍ଦ ବରିହା ସଭାପତିତ୍ୱ କରିଥିବାବେଳେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ମୁଖ୍ୟ ଅତିଥି ଓ କେସିଙ୍ଗା ବ୍ଲକ୍ର ଭାରପ୍ରାପ୍ତ ବ୍ଲକ୍ ଶିକ୍ଷାଧିକାରୀ ସମ୍ପତି ଛୁରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ସନ୍ତୋଷ କୁମାର ରଥ ଓ ସରସ୍ୱତୀ ସାହୁ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷାଗତ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିୟମିତ ପାଠପଢ଼ା, ସମୟର ସଦୁପଯୋଗ, ଉପଯୁକ୍ତ ପରୀକ୍ଷା ପ୍ରସ୍ତୁତି ଓ ଲକ୍ଷ୍ୟଭିତ୍ତିକ ଅଭ୍ୟାସ ପ୍ରତି ଅନୁପ୍ରାଣିତ କରାଯିବା ସହିତ ଅଭିଭାବକ, ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିରେ ସକ୍ରିୟ ସହଯୋଗ କରିବାକୁ ମଧ୍ୟ ଉତ୍ସାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୩ ଓ ୧୪ ତାରିଖରେ ମଧ୍ୟ ଜାରି ରହିବା ସହ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ ବିଷମତା ଓ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ସମ୍ପର୍କିତ ପ୍ରଶ୍ନୋତ୍ତର ସମ୍ପର୍କରେ ମାର୍ଗଦର୍ଶନ କରାଯିବ । କଳାହାଣ୍ଡି ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ସହ ଆଗାମୀ ଏଚ୍ଏସ୍ସି ପରୀକ୍ଷାରେ ଉନ୍ନତ ଫଳାଫଳ ହାସଲ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)