ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନର ତତ୍ପରତା ବର୍ଷା ଆରମ୍ଭ ହେବା ପରେ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ନିଜ ଟିମକୁ ନେଇ ପହଞ୍ଚିଲେ ତହସିଲଦାର ଓ ବିଡ଼ିଓ

Nov 20, 2026 - 06:36
0 31
ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନର ତତ୍ପରତା ବର୍ଷା ଆରମ୍ଭ ହେବା ପରେ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ନିଜ ଟିମକୁ ନେଇ ପହଞ୍ଚିଲେ ତହସିଲଦାର ଓ ବିଡ଼ିଓ

କେସିଙ୍ଗା/ କେସିଙ୍ଗା ସମାଚାର ୧୯/୧୧ (ମଧୁସୂଦନ ଠାକୁର) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ବ୍ଲକ ପ୍ରଶାସନ ଓ ତହସିଲ ପ୍ରଶାସନର ଅଧିକାରୀମାନେ ରାତିରେ ବିଭିନ୍ନ ଗ୍ରାମକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ଏହି କ୍ରମରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଙ୍କ ସହ ପ୍ରଶାସନିକ କର୍ମଚାରୀଙ୍କ ଟିମ୍ ରାତିରେ କେସିଙ୍ଗା କଲେକ୍ଟରପଡ଼ା, କୁର୍ଲୁପଡ଼ା ଓ କନ୍ତେଶିର ପଞ୍ଚାୟତ ଅଞ୍ଚଳକୁ ଗସ୍ତ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ କୌଣସି ପ୍ରକାର ଅବହେଳା ନକରି ସମସ୍ତେ ସଜାଗ ଓ ଜାଗ୍ରତ ରହିବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ।ବିଶେଷକରି ଦୁର୍ବଳ ଘରେ ରହୁଥିବା ପରିବାର, ବୟସ୍କ ବ୍ୟକ୍ତି, ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ କୁହାଯାଇଥିଲା। କୁର୍ଲୁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବସଷ୍ଟାଣ୍ଡଠାରେ ଥିବା ଆଶ୍ରୟସ୍ଥଳୀ ଏବଂ କଲେକ୍ଟରପଡ଼ା ଅଞ୍ଚଳରେ ଥିବା ସୁରକ୍ଷିତ ଗୃହଗୁଡ଼ିକରେ ଆବଶ୍ୟକସ୍ଥଳେ ରାତ୍ରିଯାପନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା।ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା, ଗଛ ଓ ବିଦ୍ୟୁତ୍ ଖୁଣ୍ଟ ନିକଟରେ ଆଶ୍ରୟ ନନେବା, ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବା ଏବଂ ସରକାରୀ ସତର୍କ ସୂଚନାକୁ ଅନୁସରଣ କରିବାକୁ ସଚେତନ କରାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ, ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷାର ଆଶଙ୍କା ଥିବାରୁ କେବଳ ଉପକୂଳ ଅଞ୍ଚଳ ନୁହେଁ, ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରଶାସନିକ ସତର୍କତା ଜରୁରୀ ହୋଇପଡ଼ିଛି।ବିପଦ ଆସିବା ପୂର୍ବରୁ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାତି ଅଧିଆ ଗ୍ରାମାଞ୍ଚଳରେ ପହଞ୍ଚି ପ୍ରଶାସନର ଏହି ସଚେତନତାମୂଳକ ପଦକ୍ଷେପକୁ ସ୍ଥାନୀୟ ମହଲରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏଭଳି ସମୟରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ହିଁ ବିପର୍ଯ୍ୟୟର ମୁକାବିଲାରେ ସବୁଠାରୁ ବଡ଼ ଶକ୍ତି ବୋଲି ସହରରେ ଚର୍ଚା ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User