ପ୍ରବଳବର୍ଷାରେ ଫସଲ କ୍ଷୟକ୍ଷତି (ଚାଷୀଙ୍କ ପାଇଁ BDOଙ୍କୁ ଫେରାଦ ହେଲା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା)
କେସିଙ୍ଗା/ କେସିଙ୍ଗା ସମାଚାର ୮/୧୦(ମଧୁସୂଦନ ଠାକୁର) ଅତିବର୍ଷା ହେତୁ ତେଲ ନଦୀରେ ବନ୍ୟା ଯୋଗୁଁ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଅନେକ ଚାଷୀଙ୍କ ଚାଷଜମି ଜଳମଗ୍ନ ହୋଇ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।ଫସଲ ନଷ୍ଟକୁ ନେଇ ରେଙ୍ଗସାପାଲି ଗ୍ରାମାଞ୍ଚଳର ଚାଷୀମାନେ ନିଜର ଦୁଃଖ ଓ ସମସ୍ୟା ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରା ଯାଦବଙ୍କ ନିକଟରେ ଜଣାଇଥିଲେ। ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶ୍ରୀ ବେହେରା ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟିଗୋଚର କରିଥିଲେ।ଏହାପରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଗୋଲାମୁଣ୍ଡା BDOଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରେଙ୍ଗସାପାଲି ଅଞ୍ଚଳରେ ତେଲ ନଦୀ ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନ ଫସଲର ତୁରନ୍ତ ସର୍ଭେ, କ୍ଷୟକ୍ଷତିର ସଠିକ ଆକଳନ, ଯୋଗ୍ୟ ଚାଷୀଙ୍କୁ ଇନପୁଟ୍ ସବସିଡି ଏବଂ ଫସଲ ବୀମା ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି।ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରାଙ୍କ ସଂଯୋଜନାରେ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଉପସଭାପତି ଯୁଧିଷ୍ଟିର ଗଉଡ଼, ସାଧାରଣ ସମ୍ପାଦକ ତ୍ରିପୁରା ନାୟକ,ଗୋଲାମୁଣ୍ଡା ବ୍ଲକ ସଭାପତି ରେବା କଟା, ସହସମ୍ପାଦକ ସଦାଶିବ ବେମାଲ, ମାଣ୍ଡେଲ ଆଞ୍ଚଳିକ ସଭାପତି କଳକୀ ବାଗ, ରେଙ୍ଗସାପାଲି ଗ୍ରାମର ସୁବାସ ଚନ୍ଦ୍ର ହଂସଙ୍କ ସମେତ ବହୁ କ୍ଷତିଗ୍ରସ୍ତ ଚାଷୀ ଓ ଯୁବ ଯାଦବ ଉପସ୍ଥିତ ଥିଲେ।ଚାଷୀଙ୍କ ଦୁଃଖ ସମୟରେ ସମସ୍ୟାକୁ ତୁରନ୍ତ ପ୍ରଶାସନର ଦୃଷ୍ଟିଗୋଚର କରି ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିବାରୁ ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରା ଯାଦବଙ୍କ ସମେତ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।ଏଭଳି ଜନସେବାମୂଳକ କାର୍ଯ୍ୟ ଯୋଗୁଁ ଗୋଲାମୁଣ୍ଡା ଅଞ୍ଚଳରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପ୍ରତି ଭାଇଚାରା, ଆସ୍ଥା ଓ ସାମାଜିକ ଭରସା ଆହୁରି ଦୃଢ଼ ହୋଇଛି ବୋଲି ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ କୁହାଯାଇଛି।ଚାଷୀଙ୍କ ସୁଖ ଦୁଃଖରେ ସାଥୀ ହୋଇ ଛିଡ଼ା ହେବା ଏବଂ ତାଙ୍କର ନ୍ୟାୟସଙ୍ଗତ ଦାବିକୁ ପ୍ରଶାସନ ନିକଟରେ ପହଞ୍ଚାଇବା ଯାଦବ ମହାସଭାର ସାମାଜିକ ଦାୟିତ୍ୱ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)