ପିଏମ୍ ଶ୍ରୀ ସରକାରୀ ବିଦ୍ୟାଳୟ କେସିଙ୍ଗା ରେ ଏନଏସି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୬ ଅନୁଷ୍ଠିତ
କେସିଙ୍ଗା /କେସିଙ୍ଗାସମାଚାର /୧୫/୧୦(ମଧୁସୂଦନ ଠାକୁର) ଶିଶୁମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ ଓ ଏକ ସମୃଦ୍ଧ ସମାଜ ଗଠନର ମୂଳ ଆଧାର। ସେମାନଙ୍କ ମନରେ ଲୁଚି ରହିଥିବା ସୃଜନଶୀଳତା, ପ୍ରତିଭା ଓ ଅନୁର୍ନିହିତ କଳାକୁ ଲୋକଲୋଚନକୁ ଆଣିବା ସହ ଶିକ୍ଷା, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ବିକାଶ ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍.ଏ.ସି. ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର,କେସିଙ୍ଗା ଏନ୍.ଏ.ସି.ର ଶିଶୁ ମହୋତ୍ସବ 'ସୁରଭି-୨୦୨୬' ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମାନନ୍ଦ ବରିହା ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ୍ କରିଥିଲେ।। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ର ମହତ୍ତ୍ବ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ମହୋତ୍ସବ ରେ କେସିଙ୍ଗା ଏନ୍.ଏ.ସି. କ୍ଲଷ୍ଟରର ସିଆରସିସି ରୋହିତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ସମୀର କୁମାର ବେହେରା,ପ୍ରଧାନଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା, ସୁଜାତା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବଗାଡଙ୍କ ସମେତ ସୁରେନ୍ଦ୍ର ଦୋରା, ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ମହୋତ୍ସବ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୁନି କୁନି ପ୍ରତିଯୋଗୀ ମାନେ ନିଜ ନିଜର ଜ୍ଞାନ, ମେଧା, ସୃଜନଶୀଳତା ଓ କଳାତ୍ମକ ପ୍ରତିଭାର ଚମତ୍କାର ପରିଚୟ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ ପରିବେଷଣ ମହୋତ୍ସବର ପରିବେଶକୁ ଆହୁରି ଆକର୍ଷଣୀୟ ଓ ମନୋମୁଗ୍ଧକର କରିଥିବାବେଳେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଉଦ୍ଦୀପନା ସମସ୍ତଙ୍କ ମନରେ ନୂତନ ଆଶାର ସଞ୍ଚାର କରିଥିଲା। ପୁରସ୍କାର ବିତରଣ ତଥା ସମାରୋପ ସମାରୋହ ରେ ପୂର୍ବତନ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଗାଳ୍ପିକା ଯାଜ୍ଞସେନୀ ସାହା ମୁଖ୍ୟ ବକ୍ତା ଓ ପ୍ରଧାନ ଶିକ୍ଷକ ହେମାନନ୍ଦ ବରିହା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶିଶୁମାନଙ୍କ ମଧ୍ଯରେ ଲୁଚି ରହିଥିବା ଅସୀମ ସମ୍ଭାବନାକୁ ଉଜାଗର କରିବା ସହ – ସେମାନଙ୍କ ମନରେ ଆତ୍ମବିଶ୍ବାସ, ସହଯୋଗ, ପ୍ରତିଯୋଗିତାମୂଳକ ମନୋଭାବ ଓ ନେତୃତ୍ବ ଗୁଣର ବିକାଶ କରିବାରେ ‘ସୁରଭି' ଭଳି ଶିଶୁ ମହୋତ୍ସବର ଭୂମିକା ଅତୁଳନୀୟ ବୋଲି ଉପସ୍ଥିତ ଶିକ୍ଷାବିତ୍ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷା କେବଳ ପାଠ୍ୟପୁସ୍ତକର ପୃଷ୍ଠା ମଧ୍ଯରେ ସୀମିତ ନ ରହି ଶିଶୁଙ୍କ ସାମଗ୍ରିକ ବ୍ୟକ୍ତିତ୍ଵ ବିକାଶର ମାଧ୍ଯମ ହେବା – ଉଚିତ ବୋଲି ଏହି ଆୟୋଜନ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଶିଶୁ କଳାକାରମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସପନା ଟକରିଆ ଓ ଶିକ୍ଷକ ଜି.କ୍ରିଷ୍ଣା ରେଡ୍ଡୀ ପରିଚାଳନା କରିଥିଲେ ଏବଂ ପରିଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଆୟୋଜକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ ସହ ଶିଶୁ ମହୋତ୍ସବ ‘ସୁରଭି-୨୦୨୬'ର ପରିସମାପ୍ତି ଘୋଷଣା କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)