ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ
କେସିଙ୍ଗା/ କେସିଙ୍ଗା ସମାଚାର /୨୯/୮( ମଧୁସୂଦନ ଠାକୁର) କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଐତିହ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଅଧିବେଶନର ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀ , ବିଘ୍ନ ବିନାଶକ ଶ୍ରୀ ଗଣେଶ ଏବଂ ମହାକବି କାଳିଦାସଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ଛାତ୍ରୀମାନଙ୍କ ଦ୍ୱାରା ବେଦମନ୍ତ୍ର ଓ ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରାଯାଇ ଥିଲା। ଏହି ଅବସରରେ ସଭାପତି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ; ଏହା ଭାରତୀୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ତେଣୁ ନୂତନ ପିଢ଼ି ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଓ ଭଲପାଇବା ସୃଷ୍ଟି କରିବା ଆବଶ୍ୟକ। ଏହାପରେ ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ନାୟକ “ସଂସ୍କୃତଂ ସଂସ୍କୃତିଃ ଭାରତସ୍ୟ ଗୌରବମ୍” — ଏହି ବାର୍ତ୍ତା ସହ ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ଅଭିଭାଷଣ ପ୍ରଦାନ ନେଇଥିଲେ। ସଂସ୍କୃତ ଦିବସ ଅବସରରେ ଶିକ୍ଷକ ଶ୍ରୀ କହ୍ନେଇଲାଲ ସାହୁ ଓ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସଂସ୍କୃତ ଭାଷାର ମହନୀୟତା ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରୀମାନେ ସ୍ବପ୍ନା ମହଲା, ଝରଣା ମହଲା ଓ ଉର୍ମିଳା ପଟ୍ଟନାୟକ ନିଜ ନିଜର ଅନୁଭୂତି ବିନିମୟ କରିଥିଲେ।ଏହା ପରେ ଛାତ୍ରୀମାନେ ସଂସ୍କୃତ ଭାଷଣ, ଶ୍ଳୋକ ଆବୃତ୍ତି, ସଂସ୍କୃତ ଗୀତ ଓ କବିତା ପାଠ ପରିବେଷଣ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ କର୍ମଚାରୀ ମାନଙ୍କ ସହଯୋଗରେ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତି ରେଖା ଜାଲ୍ ଅତି ଚମତ୍କାର ଭାବରେ ମଞ୍ଚ ସଞ୍ଚାଳନ କରିଥିଲେ।କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ହକିର ଯାଦୁକର ମେଜର୍ ଧ୍ୟାନ ଚାନ୍ଦଙ୍କ ସ୍ମୃତିରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଥିଲା। ବିଦ୍ୟାଳୟ ଜୀବନରେ ପାଠପଢ଼ା ଯେତିକି ଆବଶ୍ୟକ, ଖେଳକୁଦ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପାଠପଢ଼ା ସହିତ ପ୍ରତିଦିନ କିଛି ସମୟ ଖେଳକୁଦରେ ଅତିବାହିତ କରିବା ଉଚିତ ବୋଲି ପ୍ରଧାନଶିକ୍ଷକ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)