ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ ( ଦେଶ ମାତୃକାର ସେବାକୁ ପରମ ବ୍ରତ ଓ ସୌଭାଗ୍ୟ ରୂପେ ଗ୍ରହଣ କରିବାକୁ ଆହ୍ଵାନ)
କେସିଙ୍ଗା/ କେସିଙ୍ଗା ସମାଚାର ୧୫/୮(ମଧୁସୂଦନ ଠାକୁର) ଭାରତର ବିଶାଳ ଯୁବ ଶକ୍ତି ହିଁ ଭାରତୀୟ ଗଣତନ୍ତ୍ରର ଅସଲ ଶକ୍ତି ଓ ସମ୍ଭାବନା। ସଠିକ୍ ଭାବରେ ଯୁବକ ଓ ଯୁବତୀ ମାନଙ୍କର ସଶକ୍ତିକରଣ ଓ ମାର୍ଗଦର୍ଶନ କରାଗଲେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାରେ ଆମକୁ କୌଣସି ଶକ୍ତି ପରାହତ କରି ପାରିବ ନାହିଁ ବୋଲି ୮୦ ତମ ସ୍ବାଧିନତା ପାଳନ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଦୃଢ ଅଭିଭାଷଣ ପ୍ରଦାନ କରିଛନ୍ତି।ପତାକା ଉତ୍ତୋଳନ ପରେ ଏନ୍.ସି.ସି. , ଏନ୍.ସି.ସି. (ନୌ ବାହିନୀ),ଗାଇଡ୍ସ୍, ଜୁନିଅର୍ ରେଡକ୍ରସ, ସ୍କାଉଟ୍ସ୍, ଘୋଷ ଦଳର ଛାତ୍ରୀମାନେ ଜାତୀୟ ପତାକାକୁ ଅଭିବାଦନ ଜଣାଇବା ସହ ମାର୍ଚ୍ଚ ପାଷ୍ଟରେ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ନୂତନ ଭାବେ ନିର୍ବାଚିତ ସଭାପତି ତଥା ଅନ୍ୟାନ୍ୟ ସଭ୍ୟସଭ୍ୟା, ଅଭିଭାବକ-ଅଭିଭାବିକା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଣ ଶିକ୍ଷକ କର୍ମଚାରୀ ତଥା ବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ଉତ୍ସବ ପାଳନର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ତଥା ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଯୋଗ ଦେଇ ଥିବା ବେଳେ, ମୁଖ୍ୟ ବକ୍ତା ଭାବରେ ରିଡର୍, ଅର୍ଥନୀତି ବିଭାଗ, ମହାବିଦ୍ୟାଳୟ, କେସିଙ୍ଗା ର ରାଜେଶ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ ପ୍ରଧାନ ଶିକ୍ଷକ, ପି.ଏମ୍.ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ, କେସିଙ୍ଗା ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବାଗ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଭାରତର ପ୍ରତିରକ୍ଷା ବାହିନୀର ଚାରି ଜଣ ବରିଷ୍ଠ ସେନା ଯଥାକ୍ରମେ ଲକ୍ଷ୍ମୀ ଧରି ମାଝୀ, ଅବସରପ୍ରାପ୍ତ ହାବିଲଦାର , ସଞ୍ଜୀବ ମାଝୀ, ଅବସରପ୍ରାପ୍ତ ହାବିଲଦାର, ନୀଳମଣି ପଟ୍ଟନାୟକ, ଜଓ୍ବାନ୍,ସୀମା ସୁରକ୍ଷା ବାହିନୀ ୨୮ ବାଟାଲିୟନ, ବଶିଷ୍ଠ ମାଝୀ,ନାଏବ୍ ସୁବେଦାର୍ ,୨୧ ବିହାର ରେଜିମେଣ୍ଟଙ୍କୁ ଭାରତମାତାର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବାରେ ସେମାନଙ୍କ ଅତୁଳନୀୟ ଅବଦାନର ସ୍ବୀକୃତି ଓ ସମ୍ମାନ ପୂର୍ବକ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ହୋଇଥିବା ସାମରିକ କର୍ମଚାରୀମାନେ ଉପସ୍ଥିତ ଛାତ୍ରୀ ତଥା ଜନ ସମୂହକୁ ନିଜ ନିଜ ଅଭିଜ୍ଞତାରୁ ପ୍ରେରଣାର ଆଲୋକ ବର୍ତ୍ତିକା ସଦୃଶ ସତ୍ୟ ଘଟଣାବଳୀର ଅବତାରଣା କରିଥିଲେ ଏବଂ ଦେଶ ମାତୃକାର ସେବାକୁ ପରମ ବ୍ରତ ଓ ସୌଭାଗ୍ୟ ରୂପେ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଏହା ପରେ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ ଭାବନା ଆଧାରିତ ସୁନ୍ଦର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା। ସମାରୋହର ପରି ସମାପ୍ତି ପରେ ବରିଷ୍ଠ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷକ ଜି.କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଣ ଶିକ୍ଷା କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)