ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ----
କେସିଙ୍ଗା/ କେସିଙ୍ଗା ସମାଚାର ୧୪/୮(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬' ଅନ୍ତର୍ଗତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ କେସିଙ୍ଗା ଆର୍ଦଶଥାନା ର ଭାରପ୍ରାପ୍ତ ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ବିଶ୍ବାଳ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବାରୁ ଏହାର ସୁରକ୍ଷିତ ଓ ସତର୍କ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍, ସନ୍ଦେହଜନକ ମେସେଜ୍, ଲିଙ୍କ୍ କିମ୍ବା ଅନଲାଇନର ଲୋଭନୀୟ ପ୍ରସ୍ତାବରେ ପ୍ରଲୋଭିତ ନ ହେବା ସହିତ ବ୍ୟକ୍ତିଗତ ତଥ୍ୟ, ପାସୱାର୍ଡ ଓ ଓଟିପି ଆଦି କାହା ସହିତ ଅନାବଶ୍ୟକ ଭାବେ ଅଂଶୀଦାର ନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଅନଲାଇନ୍ ଠକେଇ, ନକଲି ସୋସିଆଲ ମିଡିଆ ଆକାଉଣ୍ଟ, ଫିଶିଂ ଲିଙ୍କ୍, ଅନଧିକୃତ ଡିଜିଟାଲ ପେମେଣ୍ଟ ଓ ସାଇବର ବୁଲିଂ ଭଳି ଘଟଣାରୁ କିପରି ନିଜକୁ ସୁରକ୍ଷିତ ରଖିହେବ,ସେନେଇ ମଧ୍ଯ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। କୌଣସି ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ଅଭିଭାବକ,ଶିକ୍ଷକ-ଶିକ୍ଷୟିତ୍ରୀ, ସାଇବର ସେଲ୍ କିମ୍ବା ପୋଲିସର ସହାୟତା ନେବାକୁ ଆଇଆଇସି ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶିକ୍ଷକ ଜି.କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
What's Your Reaction?
Like
2
Dislike
0
Love
0
Funny
0
Wow
1
Sad
0
Angry
0
Comments (0)